ହେଡଲାଇନସ୍:

ଅସୁରେଶ୍ବର ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଧନସ୍ଥ କେଣ୍ଟାଳ ପଞ୍ଚାୟତ ମଲ୍ଲିପୁର ଗ୍ରାମରେ ଥିବା ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କର ଅସୁରେଶ୍ଵର ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଛି । ପୂର୍ବାହ୍ନରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଏହି ଯାତ୍ରାରେ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବ୍ରହ୍ମ ମୁହୂର୍ତରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ପ୍ରଥମେ ମଙ୍ଗଳାର୍ପଣ ପରେ ପାରମ୍ପାରିକ ଜନ୍ମୋତ୍ସବ ନୀତି, ହୋମ ଯଜ୍ଞ, ନାଭିଛେଦନ, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ କରାଯିବା ପରେ ଶ୍ରୀ ରଘୁନାଥଜୀଉଙ୍କୁ ରୂପା ଖଜିତ ସିଂହାସନରେ ଅଧିଷ୍ଠିତ କରାଯାଇଥିଲା । ଏହାପରେ ପ୍ରଭୁଙ୍କ ବାଲ୍ୟ ଧୂପ, ଅନୋଳୀ ଧୂପ, ମହାଆଳତୀ,କରାଯିବା ପରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ହୋଇଥିବା ବିଭିନ୍ନ ପ୍ରକାର ନୈବେଦ୍ୟ ଅର୍ପଣ କରାଯାଇଥିଲା l ଏହାପରେ ମୁଖ୍ୟ ଫାଟକ ଖୋଲାଯିବା ପରେ ଶ୍ରୀ ରଘୁନାଥଜୀଉ ଭକ୍ତମାନଙ୍କୁ ପୂର୍ବାହ୍ନ ୬ଟାରେ ଦିବ୍ୟ ଦର୍ଶନ ଦେଇଥିଲେ। ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମକୁ ଆଖି ଆଗରେ ରଖି ଶ୍ରୀଜୀଉଙ୍କର ଦର୍ଶନ କିଭଳି ସୁବିଧାରେ ହୋଇପାରିବ ସେ ନେଇ ବାରିଗେଟର ବ୍ୟବସ୍ଥା କରାଯାଇଥିଲା । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଭକ୍ତ ମାନଙ୍କ ମାନସିକ ବାଣ ଫୁଟା କାର୍ଯ୍ୟକ୍ରମକୁ ଏକ ନିଷିଦ୍ଧାଞ୍ଚଳରେ ପୂର୍ଣ୍ଣ ସୁରକ୍ଷା ବଳୟରେ ବାରିକେଟ କରାଯାଇ ଲାଇସେନ୍ସ ପ୍ରାପ୍ତ ବାଣୁଆମାନଙ୍କ ଦ୍ଵାରା ଶୃଙ୍ଖଳିତ ଭାବେ ଫୁଟା ଯାଇଥିଲା । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯାତ୍ରା କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ଜଳଦାନ କରାଯାଇଥିଲା ବେଳେ ଭକ୍ତମାନଙ୍କୁ ଥଣ୍ଡା କରିବା ପାଇଁ ଜଳ ସିଞ୍ଚନ ବ୍ୟବସ୍ଥା ମଧ୍ୟ ହୋଇଥିଲା । ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଯାତ୍ରା କମିଟିର ସଭା ଏବଂ ମ୍ୟାନେଜିଂ ବୋର୍ଡ଼ର ସଭ୍ୟମାନେ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସମାଜସେବୀ ପ୍ରମୋଦ କୁମାର ସାହୁ, ଦେବୋତ୍ତର ବିଭାଗ ଅତିରିକ୍ତ ସହକାରୀ କମିଶନର ସଂଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ, ପୂର୍ବତନ ଲୋକାୟୁକ୍ତ କମିଶନର ଶୋଭନ କର, ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼େଇଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ । ଏହାଛଡ଼ା ନିଶ୍ଚିନ୍ତକୋଇଲି ରଘୁନାଥ ମଠ ଶ୍ରୀରାମ ମନ୍ଦିର, ପାଟପୁର ଶ୍ରୀରାମ ମନ୍ଦିର, କୁଳିଆ ରଘୁନାଥ ମଠ ଶ୍ରୀରାମ ମନ୍ଦିରରେ ମଧ୍ୟ ସମାରୋହରେ ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault