ଭୁବନେଶ୍ୱର, ୧୨ ଜୁନ: ଦି ଇନ୍ସଟିଟିଉଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ)ର ବୋର୍ଡ ଅଫ୍ ଷ୍ଟଡିଜ୍ (ଅପରେସନ୍ସ) ଦ୍ୱାରା ଆୟୋଜିତ ଏବଂ ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସିଏ ଛାତ୍ର ସମ୍ମିଳନୀ – “ଲକ୍ଷ୍ୟ ୨୦୨୬” ଆଜି ଭୁବନେଶ୍ୱରସ୍ଥିତ କିଟ୍ ଅଡିଟୋରିୟମ୍ ଠାରେ ଭବ୍ୟ ଭାବରେ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏକ ହଜାରରୁ ଅଧିକ ସିଏ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଛନ୍ତି ।
ଏହି ସମ୍ମିଳନୀକୁ ଓଡିଶାର ମହାମହିମ ରାଜ୍ୟପାଳ ଡ଼ଃ ହରି ବାବୁ କାମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ନିଜ ଅଭିଭାଷଣରେ ସେ କହିଥିଲେ ଯେ ଭବିଷ୍ୟତରେ ସଫଳ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା, ନୈତିକତା, ନିଷ୍ଠା ଓ ନିରନ୍ତର ଶିକ୍ଷା ଗ୍ରହଣର ମନୋଭାବ ରହିବା ଅତ୍ୟନ୍ତ ଆବଶ୍ୟକ । ସେ ଯୁବ ସିଏମାନଙ୍କୁ ଭାରତର ଆର୍ଥିକ ବିକାଶରେ ନିଜ ଭୂମିକା ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ ।
ଉଦଘାଟନୀ ଅଧିବେଶନରେ ସି.ଏ. ରାଜେଶ ଶର୍ମା, ଚେୟାରମ୍ୟାନ, ବୋର୍ଡ ଅଫ୍ ଷ୍ଟଡିଜ୍ (ଅପରେସନ୍ସ),ଆଇସିଏଆଇ;ସି.ଏ. ସଞ୍ଜିବ ସାଂଘୀ ଓ ସି.ଏ. ରବି କୁମାର ପଟୱା, କନଫରେନ୍ସ ଡିରେକ୍ଟର ଓ ସେଣ୍ଟ୍ରାଲ କାଉନସିଲ ସଦସ୍ୟ; ସି.ଏ. ହରି ରାମ ଅଗ୍ରୱାଲ, ଚେୟାରମ୍ୟାନ, EICASA of EIRC; ସି.ଏ. (ଡ଼ଃ) ଗୌତମ ଲେଙ୍କା, ଚେୟାରମ୍ୟାନ, ଆଇସିଏଆଇଭୁବନେଶ୍ୱର ଶାଖା; ଏବଂ ସି.ଏ. (ଡ଼ଃ) ପୃଥ୍ୱୀ ରଞ୍ଜନ ପରିଡା, ଚେୟାରମ୍ୟାନ, EICASA ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।
ଉଦଘାଟନ ପରେ ଦୁଇ ଦିନିଆ ସମ୍ମିଳନୀର ବିଭିନ୍ନ ଜ୍ଞାନବର୍ଦ୍ଧକ ଓ ବୃତ୍ତିଗତ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଡାଇରେକ୍ଟ ଟ୍ୟାକ୍ସେସନ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଡିଟ୍ ଆଣ୍ଡ ଆସ୍ୟୁରେନ୍ସ ଉପରେ ବିଶେଷ ଅଧିବେଶନ ହେଉଛି । ଏଥିରେ ଇନକମ ଟ୍ୟାକ୍ସ ଆକ୍ଟ ୨୦୨୫, ଭର୍ଚୁଆଲ ଆସେଟ୍ସ ଟ୍ୟାକ୍ସେସନ୍, AI ଆଧାରିତ କମ୍ପ୍ଲାଏନ୍ସ, ଫରେନ୍ସିକ ଆକାଉଣ୍ଟିଂ, ଫ୍ରଡ୍ ଡିଟେକ୍ସନ୍ ଓ ଷ୍ଟାଟ୍ୟୁଟୋରି ଅଡିଟ୍ ଭଳି ବିଷୟ ଉପରେ ଆଲୋଚନା କରାଯାଉଛି । ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଦ୍ୱିତୀୟ ଦିନ (୧୩ ଜୁନ) ରେ ଅଭ୍ୟାସ ବ୍ୟତୀତ କ୍ୟାରିଅର ସୁଯୋଗ, ଆର୍ଥିକ ରିପୋର୍ଟିଂ, ESG ଏବଂ ସ୍ଥିରତା, ଭାରତ ବିକାଶ କାହାଣୀ ୨୦୪୭, ପ୍ରେରଣା ଏବଂ ବୃତ୍ତିଗତ ଶୃଙ୍ଖଳାଉପରେ ଅଧିବେଶନ ହେବ । ଏହାସହ "ସଂଖ୍ୟା ଏବଂ ଆଖ୍ୟାନ: ଲକ୍ଷ୍ୟର ପୁନଃକଳ୍ପନା"ଉପରେ ବିଶେଷ ସେସନ୍ ଓ ସନ୍ଧ୍ୟାରେ ଭାଲେଡିକ୍ଟୋରି ସେସନ୍ ସହ ସମ୍ମିଳନୀର ସମାପନ ହେବ ।
ଦେଶର ବିଭିନ୍ନ ପ୍ରାନ୍ତରୁ ଏକ ହଜାରରୁ ଅଧିକ ସି.ଏ. ଛାତ୍ରଛାତ୍ରୀଙ୍କୁ ଏକତ୍ର କରିଥିବା ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଯୁବ ସି.ଏ. ମାନଙ୍କୁ ଆଧୁନିକ ବୃତ୍ତିଗତ ଜ୍ଞାନ, ନୂତନ ପ୍ରଯୁକ୍ତି ଓ ଭବିଷ୍ୟତ ସୁଯୋଗ ସମ୍ବନ୍ଧରେ ସଚେତନ କରାଇବା ।







