ଡଗ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି
ଓଡଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚଳ ବ୍ୟାଙ୍କ ସାହିରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ୪ ଜଣ ସଶସ୍ତ୍ର ଚୋର ପହଁଞ୍ଚି ଘର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାର ଧମକ ଦେଇ ସୁନା ରୂପା ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି । ଚୋରି କରି ଯିବା ସମୟରେ ଘର ମାଲିକଙ୍କ ଗୋଡ ହାତ ବାନ୍ଧି ଚୋରମାନେ ପଳାଇ ଯାଇଥିବା ବାହାଡାଝୋଲା ଫାଣ୍ଡିରେ ଅଭିଯୋଗ ହୋଇଛି । ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡିରେ ଅଭିଯୋଗ ଅନୁସାରେ ବାହାଡାଝୋଲା ବ୍ୟାଙ୍କ ସାହିର ଯୋଗେନ୍ଦ୍ର ସାହୁ (୫୯) ନିଜ ଘରେ ଏକା ଶୋଇଥିବା ସମୟରେ ୪ ଜଣ ଚୋର ହଠାତ୍ ଘରେ ପଶି ଯୋଗେନ୍ଦ୍ରକୁ ମାଡି ବସିଥିଲେ । ଏବଂ ଯୋଗେନ୍ଦ୍ର ଘୋଡେଇ ହୋଇ ଶୋଇଥିବା କମ୍ବଳକୁ ମୁହଁରେ ଢାଙ୍କି ମୁଣ୍ଡରେ ବନ୍ଧୁକ ଲଗାଇ କେଉଁଠି କଣ ରଖିଛ ଦିଅ, ନହେଲେ ମାରିଦେବୁ ବୋଲି ଧମକ ଦେଇ ଥିଲେ । ତେବେ ଯୋଗେନ୍ଦ୍ର ଭୟଭୀତ ଅବସ୍ଥାରେ କେଉଁଠି କଣ ଅଛି ମୁଁ ଜାଣି ନାହିଁ । ଯାହା ଅଛି ନେଇ ଯାଅ କିନ୍ତୁ ମୋତେ ମାର ନାହିଁ ବୋଲି କହିଥିଲେ । ସେମାନେ ପ୍ରତି ଘରର ଆଲମାରି ସିନ୍ଦୁକ ଭାଙ୍ଗି ଘରେ ଥିବା ଆନୁମାନିକ ନଗଦ ୨ ଲକ୍ଷ ଟଙ୍କା, ୨୨ ଗୋଟି ସୁନା ଖାଆସୁଲୁ, ସୁନା ହାର ୧ ଗୋଟା, ୩ ସୁନା ମାଳି, ୭ ହଳ କାନଫୁଲ, ୭ ସୁନା ମୁଦି, ୨ ସୋରିସିଆ ମାଳି, ୧ ଧାନୁଆ ସୁନା ମାଳି, ୩ ଲକେଟ, ୪ ସୁନା ଶଙ୍ଖା ସହିତ ସ୍ତ୍ରୀଙ୍କ ଥିବା ସୁନା ଅଳଙ୍କାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଓ ରୂପା ପାଉଁଚି ୫ ହଳ ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଚୋରମାନେ ଯିବାବେଳେ ହାତ ଗୋଡ ବାନ୍ଧି ଦେଇଥିବାରୁ ବହୁ କଷ୍ଟରେ ପାଟିରେ ଖୋଲି ବାହାରକୁ ଯାଇ ଯୋଗେନ୍ଦ୍ର ଏହା ଜଣାଇଥିଲେ । ଏବଂ ଦେଖିବା ପରେ ଚୋରମାନେ ବାରିପଟ କବାଟ ଖୋଲି ଭିତରେ ପ୍ରବେଶ କରିଥିବା ଜାଣିବାକୁ ପାଇଥିଲେ । ଯୋଗେନ୍ଦ୍ର ଏନେଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଓଡଗାଁ ଥାନା ଅଧିକାରୀ ଅଭୟ କୁମାର ବେହେରା ବାହାଡାଝୋଲା ଫାଣ୍ଡି ଅଧିକାରୀ ମହମ୍ମଦ ଜାଫରୁଲାଙ୍କ ସମେତ ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଚଳାଇଥିବା ଥାନାଅଧିକାରୀ ବେହେରା କହିଛନ୍ତି । ତେବେ ନିଜ ଘର ଆଗରେ ବ୍ୟାଙ୍କ ଥାଇ ଯୋଗେନ୍ଦ୍ର କାହିଁକି ଏତେ ପରିମାଣର ସୁନା ରୂପା ଓ ନଗଦ ଟଙ୍କା ଘରେ ରଖିଥିଲେ ଏବଂ ଯୋଗେନ୍ଦ୍ରଙ୍କ ଘରେ ୧୫ରୁ ଉର୍ଦ୍ଧ୍ୱ ବାଇକ ରହିଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।











