ସଚେତନତା ଓ ବିଶୋଧନ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୮/୭/୨୫: ଏକାଭିମୁଖି ଓ ସମନ୍ୱିତ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଡାଇରିଆ ରୋଗକୁ ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି । ଚଳିତ ମାସ ୬ ତାରିଖରେ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଥିବା ଏହି ରୋଗ ସଂକ୍ରମଣ ରୂପ ନେବା ପୂର୍ବରୁ ବ୍ୟାପକ ସଚେତନତା ଅଭିଯାନ, ଘରକୁ ଘର ନିରୀକ୍ଷଣ ଆଦି ମାଧ୍ୟମରେ ସ୍ଥିତିରେ ଦୃଶ୍ୟମାନ ସୁଧାର ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ୬ ତାରିଖ ଠାରୁ ଆଜି ଅପରାହ୍ନ ସୁଦ୍ଧା ଉସ୍ତପଲ୍ଲୀ ଗ୍ରାମରେ ସମୁଦାୟ ୧୧ ଜଣ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସେହି ଗ୍ରାମରୁ କୌଣସି ନୂଆ ରୋଗୀ ହସ୍ପିଟାଲ ଆସିନାହାନ୍ତି । ସଂକ୍ରମିତ ୧୧ ଜଣଙ୍କ ମଧ୍ୟରୁ ଦୁଇଦିନ ଭିତରେ ୬ ଜଣଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା ଏବଂ ଅବଶିଷ୍ଟ ୫ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା ।
ଆଜି ଅପରାହ୍ନ ସୁଦ୍ଧା ଏମ.କେ.ସି.ଜି ରୁ ୫ ଜଣଙ୍କୁ ଆରୋଗ୍ୟ ଲାଭ ପରେ ଡିସଚାର୍ଜ କରାଯାଇଛି । ଜଣେ ୫ ବର୍ଷର ଶିଶୁଙ୍କର ଶ୍ୱାସ ସମ୍ବନ୍ଧିତ ଅସୁବିଧା ଥିବାରୁ ତାଙ୍କୁ ସ୍ଵତନ୍ତ୍ର ଚିକିତ୍ସା ଦିଆଯାଉଛି । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ସମସ୍ତ ୫ ଜଣ ରୋଗୀଙ୍କୁ ଆରୋଗ୍ୟ ଲାଭ ପରେ ଡିସଚାର୍ଜ କରାଯାଇଛି ।
ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ବିଷୟରେ ମିଳିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ତାହା ଡାଇରିଆ ଜନିତ ନଥିଲା ବୋଲି ଜଣାପଡିଛି । ସ୍ଵର୍ଗତ ଦାସ ଶବର ପ୍ରାୟ ୭୦ ବର୍ଷ ବୟସ୍କ ଥିଲେ । ତାଙ୍କର କଳାଝାଡା (melena) ରୋଗ ଯୋଗୁ ଜୁଲାଇ ୩ ତାରିଖ ସକାଳ ୭.୩୦ ମିନଟ୍ ସମୟରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ସେ ନିଜ ଘରେ ଥିଲେ । ଅନ୍ୟ ମୃତକ ଜଣକ ହେଲେ ପ୍ରକାଶ ରାଇତିଆ । ତାଙ୍କର ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ୭ ତାରିଖ ଦିନ ସେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଚିକିତ୍ସା ପରେ ବିଶେଷ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ସୁପାରିଶ କରିଥିଲେ । କିନ୍ତୁ ସେ ‘ମୋତେ ଭଲ ଲାଗୁଛି କହି’ ଘରକୁ ଫେରିଯାଇଥିଲେ । ରାତିରେ ଅଧିକ ଯନ୍ତ୍ରଣା ହେବାରୁ ଘରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଉଥିବା ବାଟରେ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ପୋଷ୍ଟମର୍ଟମ କରାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ । ତେବେ ତାଙ୍କର ମୃତ୍ୟୁ ଡାଇରିଆ ଜନିତ ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି । ପୂର୍ବରୁ ତାଙ୍କର ଏ ରୋଗ ଥିଲା । ମୃତ୍ୟୁ ବେଳକୁ ସେ ପ୍ରାୟ ୩୫ ବର୍ଷ ବୟସ୍କ ଥିଲେ ।
ଡାଇରିଆ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥିଲେ ସୁଦ୍ଧା କ୍ଷେତ୍ରସ୍ତରୀୟ ସଚେତନତା ଏବଂ ନିୟମିତ ବିଶୋଧନ କାର୍ଯ୍ୟ ଜାରି ରଖିବାକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।