ହେଡଲାଇନସ୍:

"ବର୍ଷ ଏକ ଉପଲବ୍ଧି ଅନେକ " ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା -2025

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,୧୪/୬/୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ନବରଙ୍ଗପୁର ସହର ନୂତନ ମଣ୍ଡେଇ ପଡିଆ ଠାରେ ଜିଲ୍ଲାସ୍ତରୀୟ ବିକାଶମେଳା-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ
ବିଭୂତି ଭୂଷଣ ଜେନା ଯୋଗ ଦେଇ କହିଥିଲେ ଯେ, ଜିଲ୍ଲା ପ୍ରଭାରୀ ଭାବେ ନିଜ ବିଭାଗ ସହିତ ନବରଙ୍ଗପୁର ଜିଲ୍ଲାର ମଧ୍ୟ ସାମଗ୍ରିକ ବିକାଶ ପାଇଁ ଚିନ୍ତା କରିବାକୁ ପଡ଼ିବ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଥା ଦେଇ କଥା ରଖିଲେ । ଓଡ଼ିଶାରେ ଆରମ୍ଭ ହୋଇଛି ସ୍ବଚ୍ଛ ଉତ୍ତରଦାୟୀ ଜନ କଲ୍ୟାଣ ଶାସନର ନୂଆ ଯୁଗ । "ବର୍ଷ ଏକ ଉପଲବ୍ଧି ଅନେକ* ଧାରାରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଢିବାକୁ ମୋହନ ସରକାର ସଂକଳ୍ପ ବଦ୍ଧ । ଗୌରବମୟ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ କରିବାକୁ କାମ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ପାଳନ ଅବସରରେ ବିଭିନ୍ନ ଯୋଜନାର ଉଦ୍ଦେଶ୍ୟ, ଏହାର ସଫଳ ରୂପାୟନ ଓ ବହୁବିଦ୍ଧ ଜନ କଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଏହି ବିକାଶ ମେଳାର ଆୟୋଜନ କରାଯାଇଛି । ଏହି ବିକାଶ ମେଳାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ସଂପୃକ୍ତ ବିଭାଗୀୟ ଅଧିକାରୀ, ଯୁବତୀ ଯୁବକ, କୃଷକ, ଆଦିବାସୀ ଓ ମହିଳା ସମାବେଶ ଅଂଶ ଗ୍ରହଣକାରୀ, ସୁଭଦ୍ରା ଶକ୍ତି ଖାଦ୍ୟ ମେଳା ବିକାଶ ବାହାନ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା କଳାକାର ବୃନ୍ଦ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ପର୍ଯ୍ୟଟନ ଓ ଗମନାଗମନ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଯେପରି ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ ସେଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଯେପରି ଓଡିଆ ଅସ୍ମିତା, ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ସମୃଦ୍ଧ କୃଷକ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ପି.ଏମ୍ ଜନମନ ଯୋଜନା, ପି.ଏମ୍ ସୁର୍ଯ୍ୟଘର ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବିକଶିତ ଗାଁ ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ମୁଖ୍ୟମନ୍ତ୍ରୀ ଜନଶୁଣାଣୀ ଅଭିଯୋଗ ସମାଧାନ, ମାଧୋସିଂ" ହାତ ଖର୍ଚ ଯୋଜନା, ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ଯୋଜନା ଏହିଭଳି ଅନେକ ଯୋଜନାକୁ ତୃଣମୂଳ ସ୍ତରରେ ମୋହନ ସରକାର ଲାଗୁ କରିଛନ୍ତି । ଜିଲ୍ଲାରେ ରାସ୍ତା ଘାଟର ଉନ୍ନତି ହୋଇଛି । ପର୍ଯ୍ୟଟନର ବିକାଶ ପାଇଁ ଭିତ୍ତିଭୂମି ରହିଛି। ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଓ ରାଜ୍ୟର ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଗୋଟିଏ ବର୍ଷର ବିକାଶ ଉପରେ ଏହି ବିକାଶ ମେଳା ହୋଇଛି । ଦ୍ୱିତୀୟ ବର୍ଷ ପୂର୍ତ୍ତି ସମୟର କଣ ସବୁ ବିକାଶ ହୋଇଛି ସମସ୍ତେ ଜାଣି ସାରିଥିବେ ବୋଲି କହିଥିଲେ।
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟର ବିକାଶ ହୋଇପାରୁଛି। ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ଖାତାରେ ଜମା ହୋଇସାରିଛି । ୨୦୨୫ ଏପ୍ରିଲ ସୁଦ୍ଧା ଜିଲ୍ଲାରେ ୨,୯୭,୫୬୯ ଜଣଙ୍କୁ ଡିବିଟି ମାଧ୍ଯମରେ ସୁଭଦ୍ରା ଟଙ୍କା ମିଳିସାରିଛି । ଲକ୍ଷପତି ଦିଦି ପରିଚାଳନାରେ ଓଡ଼ିଶା ସାରାଦେଶରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି । ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର, ଭିତ୍ତିଭୂମି ନିର୍ମାଣ ତଥା ଓଡିଆ ଅସ୍ମିତା କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା ସରକାର କରିଛନ୍ତି। ଆମେ ପଢିବା ଆମ ଭାଷାରେ ଯୋଜନା ପାଇଁ ୨୫ କୋଟି ଟଙ୍କା, ରାଜ୍ୟ ସରକାରଙ୍କ “ମମତା" ଓ କେନ୍ଦ୍ର ସରକାରଙ୍କ “ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ କନ୍ୟା ସନ୍ଧାନ ପାଇଁ ୧୨ ହଜାର ଓ ପୁତ୍ର ସନ୍ଧାନ ପାଇଁ ୧୦ ହଜାର ଟଙ୍କାର ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ଛାତ୍ର ଙ୍କୁ ମଧ୍ୟାହ୍ନ ଭୋଜନ, ସମ୍ବନ୍ଧ କୃଷକ ଯୋଜନାରେ ଧାନର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ଇନପୁଟ ସହାୟତା ୮୦୦ ଟଙ୍କା ଚାଷୀ ପାଇଛନ୍ତି । ସରକାରୀ ଚାକିରି ନିଯୁକ୍ତି ବ୍ୟବସ୍ଥାରେ ପାର୍ଥୀଙ୍କ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି । ୮୦ ପ୍ରତିଶତରୁ ଉର୍ଦ୍ଧ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ମାସିକ ପେନସନ ୧୨୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସଶକ୍ତ ଭାରତ-ସୁରକ୍ଷିତ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୧୧ ବର୍ଷରେ ବିଶ୍ବକୁ ଦେଖାଇଦେଇଛି । ବର୍ତ୍ତମାନ ଦେଶ ବିକାଶ କରୁଛି ଏବଂ ଶତ୍ରୁଙ୍କୁ ବିନାଶ କରୁଛି । ଏହା ହେଉଛି ସଶକ୍ତ ଭାରତ, ସୁରକ୍ଷିତ ଭାରତ, ବିକଶିତ ଭାରତ । ଯେଉଁଠି ଆତଙ୍କବାଦୀ ଏବଂ ଆତଙ୍କବାଦୀ ବିରୋଧରେ କୋଠର ଏବଂ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଉଛି। ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଏବଂ ସାମରିକ ଶକ୍ତିକୁ ଏକ ନୂତନ ଉଚ୍ଚତାରେ ପ‌ହଞ୍ଚାଇ ଭାରତ ନିଜ ସୁରକ୍ଷାକୁ ସଶକୁ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦୁରଦର୍ଶିତାରେ ଭାରତକୁ ବୈଶିକ ମଞ୍ଚରେ ଏକ ପ୍ରଭାବଶାଳୀ ଓ ସମ୍ମାନିତ ସୁରକ୍ଷା ସ୍ତମ୍ଭରେ ସ୍ଥାପିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷ ନେତୃତ୍ୱରେ ଭାରତ ବିଶ୍ବକୁ ଦେଖାଇଲା ଯେ ଆତଙ୍କବାଦୀଙ୍କୁ କେବେ କ୍ଷମା କରାଯିବ ନାହିଁ । ଅପରେସନ ସିନ୍ଦୁର ଏହାର ସତେଜ ପ୍ରମାଣ ଏବଂ ଐତିହାସିକ ଉଦାହରଣ, ଯେଉଁଥିରେ ଭାରତର ସେନା ପାକିସ୍ତାନର ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ସଫା କରିବା ସହ ତାର ଏୟାରବେଶକୁ ଧ୍ବଂସ କରିପାରିଛି । ଅପରେସନ ସିନ୍ଦୁର ଭାରତର ଆତ୍ମସମ୍ମାନ ବୃଦ୍ଧି କରିଛି । ସୁଶାସନ ଓ ଗରିବ କଲ୍ୟାଣ ଦିଗରେ ଦୃଷ୍ଟି ଦିଆଯାଇଛି। ଦେଶ ସୁରକ୍ଷିତ ଓ ବିକଶିତ ହୋଇଛି । ପ୍ରଧାନ ମନ୍ତ୍ରୀ ଚାହୁଁ ଛନ୍ତି ଦେଶ ଆତ୍ମ ନିର୍ଭରଶୀଳ ହେବ । ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮୦ ଭାଗ ଲୋକ ଲାଭ ପାଉଛନ୍ତି । ପ୍ରତି ଗାଁ ଓ ଘରକୁ ପାଣି ଓ ବିଜୁଳି ସଂଯୋଗ ହୋଇପାରୁଛି। ଦେଶରେ ୨୭.୧୩ ପ୍ରତିଶତ ଦାରିଦ୍ର୍ୟତା ଥିଲା ତାହା ୫ .୩ କୁ ଖସି ଆସିଛି। ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇଛି । ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ସ୍ଥାପନ ହେବ। ନିପୁଣ ଓଡ଼ିଶା ମାଧ୍ୟମରେ ମୌଳିକ ଶିକ୍ଷା ଜ୍ଞାନ ହାସଲ ହୋଇପାରୁଛି। ପ୍ରତି ବ୍ଲକରେ ଉନ୍ନତ ମାନର ଷ୍ଟାଡିୟମ୍, ୫୦ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ରେ ଆଦିବାସୀ ଭବନ ହେବ। ନବରଙ୍ଗପୁର ଜିଲ୍ଲାରୁ ପୁରୀ, ହାଇଦ୍ରାବାଦ, ବ୍ରହ୍ମପୁର ଓ ବିଜୟୱାଡା କୁ ଭଲବୋ ବସ ସେବା ସଂପର୍କରେ କହିଥିଲେ । ଏମ୍ ପି ବଳଭଦ୍ର ମାଝୀ ନିର୍ବାଚନ ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରଙ୍ଗପୁର ଚିକିଲି ଠାରେ ଆସି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ହେଉଛି ବୋଲି ସେହି ଦିନ ପ୍ରଧାନ ମନ୍ତ୍ରୀ କହିଥିବା କଥାକୁ ଦୋହରାଇଥିଲେ। ଭାରତ ମାଳା ରାସ୍ତା ଦ୍ଵାରା କିଭଳି ବିକାଶ ହେଉଛି ତାହା ଆମେ ଦେଖି ପରୁଛେ। ୨୪ ବର୍ଷର ସରକାର ଓ ଏକ ବର୍ଷର ସରକାର ମଧ୍ୟରେ କଣ ପାର୍ଥକ୍ୟ ରହିଛି ତାହା ବିକାଶ ମେଳା ମାଧ୍ୟମରେ ଲୋକେ ଦେଖୁଛନ୍ତି । ଭଦ୍ରାଚଲମ୍ ରୁ ଜୁନାଗଡ ଏକ ଲମ୍ବା ରେଳପଥ ହେବ। ଏହି ପଥ ନବରଙ୍ଗପୁର ଜିଲାଦେଇ ଗତିକରିବ । ସରକାରଙ୍କ ଯୋଜନା ଗୁଡିକ କିଭଳି ଘରେ ଘରେ ପହଞ୍ଚିବ ସେଥି ପ୍ରତି ଆମ ସରକାର ଗୁରୁତ୍ଵ ଦେଉଛନ୍ତି ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓଡ଼ିଶାରେ ବିକାଶ କିଭଳି ହୋଇଛି ତାହା ମେଳା ମାଧ୍ୟମରେ ଦର୍ଶାଇ ଦିଆଯାଇଛି। ମୁଖ୍ୟ ମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ୧୨ ହଜାର ଅଭିଯୋଗ ଓ ୮୦ ହଜାର ଅନଲାଇନ୍ ଅଭିଯୋଗ ସମାଧାନ କରିଛନ୍ତି । ନୂତନ ଶିକ୍ଷା ନୀତି ଲାଗୁ ହେବା ସହିତ ଶିକ୍ଷା ବାଟିକା ଓ ଶିକ୍ଷାର ବିକାଶ କରିବା ଦିଗରେ ଦୃଷ୍ଟି ଦିଆଯାଇଛି । ନବରଙ୍ଗପୁର ଜିଲ୍ଲାରେ ମେଡିକାଲ କଲେଜ୍ ହେବା ପାଇଁ ପଦକ୍ଷେପ ନିଆଯାଉଛି। ବିଧାୟକ ନରସିଂହ ଭାତ୍ରା ଜିଲ୍ଲାରେ ଶିକ୍ଷା, ବିକାଶର ଭିତ୍ତିଭୂମି, ଜଳସେଚନ ଉପରେ ସରକାର ଦୃଷ୍ଟି ଦେଇଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସ୍ଵାଗତ ଭାଷଣ ଦେଇଥିଲେ। ପୌର ଅଧ୍ୟକ୍ଷ କୁନୁ ନାୟକ, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାଶ , ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ
ଦରୱାନ ପ୍ରମୁଖ ମଞ୍ଚାସିନ ଥିଲେ। ଚନ୍ଦନା ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗୀୟ ଯୋଜନା ର ହିତାଧିକାରୀଙ୍କୁ ,କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହାସଲ କରିଥିବା ବ୍ୟକ୍ତି, ଛାତ୍ର ଛାତ୍ରୀ ଓ ଦଳକୁ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ। ପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶିତ ଷ୍ଟଲ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, ସ୍ଵୟଂସହାୟକ ଗୋଷ୍ଠୀ,ଗଣମାଧ୍ୟମ,ହିତାଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault