ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବରିଷ୍ଠ ନାଗରିକ ମାନେ ରାସ୍ତାରେ ଚାଲି ଚାଲି ଗଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧରଣୀଧର ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବାକୁ ଦିଆଗଲା ଦାବିପତ୍ର।             

କେନ୍ଦୁଝର,ତା୧୦/୬- କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ହେଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ। ଏଠାରୁ ପାସ କରି ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶରେ ଉଚ୍ଚ ପଦବୀରେ ଅବସ୍ଥାପିତ। ନିକଟରେ ଅବସର ନେଇଥିବା ୩ ଜଣ ପୂର୍ବତନ ମୁଖ୍ୟ ଶାସନ ସଚିବ ଏହି କଲେଜର ପୂର୍ବତନ ଛାତ୍ର ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଠାରେ ପଢି ନଥିଲେ ମଧ୍ୟ ଏହି କଲେଜକୁ ଭଲ କି ଜାଣନ୍ତି ତାଙ୍କର ଦରଦ ଏହାପ୍ରତି ସବୁବେଳେ ରହିଛି। ୧୯୫୭ରେ  କେନ୍ଦୁଝର ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ବେଳେ ୧୯୬୨ରେ ଏହା ସରକାରୀ ମାନ୍ୟତା ପାଇଥିଲା। ପୁଣି ୧୯୬୭ରେ ଏହା କେନ୍ଦୁଝର ମହାବିଦ୍ୟାଳୟ ନାମରେ ନାମିତ ହେଲା। ଶେଷରେ ୧୯୮୩/୮୪ ଶିକ୍ଷା ବର୍ଷରେ ଏହା ମହାନ ବିପ୍ଳବୀ ଧରଣୀଧରଙ୍କ ନାମରେ ନାମିତ ହେଲା। ୧୯୯୯ରୁ ଏହା ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରୁ ଆସି ଆସି ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ସହ ରହି ୨୦୦୪ରୁ ସ୍ଵୟଂଶାସିତ ହେଲା। ଏହି କଲେଜ ରାଜ୍ୟର ଏକ ନାମକରା ମହାବିଦ୍ୟାଳୟ ଏଠାରୁ ଅନେକ ପିଲା ଉଚ୍ଚ ଶିକ୍ଷା ଲାଗି ଆଇଆଇଟିରେ ସ୍ଥାନ ପାଇଥାଆନ୍ତି। ଭୂତତ୍ତ୍ୱ ବିଦ୍ୟା ଲାଗି ଦେଶ ବିଦେଶରେ ଏହି କଲେଜର ଖୁବ ପ୍ରତିଷ୍ଠା ରହିଛି। ତେବେ ୬୮ବର୍ଷ ସଫଳ ଭାବେ କଲେଜ ଚାଲିବା ପରେ ୨୦୨୩ରେ ଏହି କଲେଜର ସତ୍ତା ଲୋପ କରି ଏହାକୁ ଧରଣୀଧର ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ଘୋଷଣା କରାଗଲା। ତେଣୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସହ ଧଶରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ୟାଂପସକୁ ନେଇ ଏହି ନୂତନ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କଲା। ପ୍ରାରମ୍ଭିକ ପର୍ଯ୍ୟାୟରୁ କିଛି ଜଣା ଯାଇନଥିଲେ ମଧ୍ୟ କଲେଜ ଯେତେବେଳେ ବିଶ୍ୱବିଦ୍ୟାଳୟ ହେଲା ଛାତ୍ରଛାତ୍ରୀ ଏହାର କୁଫଳ ପାଇଲେ। ଏକ ସମୃଦ୍ଧ କଲେଜର ହଠାତ ମୃତ୍ୟୁ ହେଲା ପିଲେ ଅଯଥା ଅଧିକ ଟଙ୍କା ଦେଇ ପାଠ ପଢି ଖର୍ଚ୍ଚାନ୍ତ ହେଲେ। ଏଠାରେ ବିଶ୍ୱବିଦ୍ୟାଳୟ ନାମରେ ଓଏସଡି, ପ୍ରଫେସର ଆସି ହୁକୁମ ଚଳାଇଲେ କଲେଜ ପିଲେ ଅଣନିଶ୍ୱାସୀ ହୋଇଗଲେ। ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ପୁଣି କଲେଜ ଉଦ୍ଧାର ଲାଗି ଅନେକ ଥର ଦାବି କରି ସାରିଛନ୍ତି। ହେଲେ ସବୁ ପ୍ରତିଶୃତି ପରେ ମଧ୍ୟ ଧୀରେ ଧୀରେ ଧରଣୀଧର କଲେଜ ଭବିଷ୍ୟତ ଅନ୍ଧାର ହୋଇଯାଉଛି। କଲେଜ ଜମିରେ ଥରେ ବିଶ୍ୱବିଦ୍ୟାଳୟ ସ୍ଥାୟୀ ଅନୁମତି ପାଇଲେ କଲେଜ ଉଦ୍ଧାର ହେବା ଆଉ ସମ୍ଭବ ହେବ ନାହିଁ ବୋଲି ସମସ୍ତେ ଅନୁଭବ କରି ଆଜି ଏକଜୁଟ ହୋଇଥିଲେ। ତେଣୁ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ବ୍ୟାନର ତଳେ ଅଧିକାଂଶ ବରିଷ୍ଠ ନାଗରିକଙ୍କ ସହ ଜିଲ୍ଲାର ଓକିଲ ସାମ୍ବାଦିକ ଛାତ୍ର ନେତା ଏକାଠି ହୋଇ ସ୍ଥାନୀୟ ଲାବନ ଛକରୁ ରାସ୍ତାରେ ପ୍ଲାକାର୍ଡ ଧରି ଖରାରେ ଚାଲିଚାଲି ଆସି କଲେଜକୁ ପୁନଃରୁଦ୍ଧାର କରିବାକୁ ଦାବି କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ମଞ୍ଚର ଆବାହକ ଚକ୍ରଧର ସାହୁ ଧରଣୀଧର ବିଶ୍ୱବିଦ୍ୟାଳୟ ସୁଲେଇଖମାରରେ ଥିବା ନିଜସ୍ୱ କ୍ୟାମ୍ପସକୁ ଯିବାକୁ ଦାବି କରି ତୁରନ୍ତ ଧରଣୀଧର କଲେଜ ପୁଣି ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଅନ୍ୟଥା ଦଶ ଦିନପରେ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ବରଷ୍ଠ ନାଗରିକ ରମେଶ ମହାନ୍ତ ଧରଣୀଧର କଲେଜକୁ ଧରଣୀଧର ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ସରକାରୀ ନୋଟିଫିକେସନ ବେନିୟମ କହିଛନ୍ତି। ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାନ୍ତି ଏହି କଲେଜ ଜିଲ୍ଲାର ଗର୍ବ ଗୌରବ ସାଧାରଣା ପିଲାଙ୍କ ପଢିବା ଲାଗି ହୋଇଥିଲା ଯାହା ଏବେ ବିଶ୍ୱବିଦ୍ୟାଳୟ ନାମରେ ଛାତ୍ରଛାତ୍ରୀଙ୍କୁ ହତାଶ କରିଛି ବୋଲି କହିଛନ୍ତି। ବରିଷ୍ଠ ଓକିଲ ଅଶୋକ ଦାସ ଧରଣୀଧର ବିଶ୍ୱବିଦ୍ୟାଳୟ ଓଏସଡ଼ିଙ୍କୁ ହଟାଇ ସମସ୍ତ ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛନ୍ତି। ଆଜି ଦାବିପତ୍ର ଦେବା ଅବସରରେ ପଦଯାତ୍ରାରେ ବରିଷ୍ଠ ନାଗରିକ କଲେଜର ପ୍ରଥମ ବ୍ୟାଚ ଛାତ୍ର ଲାଲ ମୋହନ ରାଉତ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଭରତ ପାତ୍ର, ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପ୍ରଫେସର ଗୟାଧର ଦାଶ, ଅଧ୍ୟାପକ ଡ. କାର୍ତ୍ତିକ ମିଶ୍ର, କର୍ମଚାରୀ ସଂଗଠନ ନେତା କୀର୍ତ୍ତନ ବିହାରୀ ଓଝା, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନବ କୁମାର ସାହୁ, ସରୋଜ ରଣା, ସମାଜସେବୀ ରାଜୀବ ସାହୁ, କବି ହରେକୃଷ୍ଣ ବେଜ, ବ୍ୟାଙ୍କ ଅଧିକାରୀ ଶରତ କୁମାର ରାଉତ, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଦଳେଇ,ବରିଷ୍ଠ ନେତା ଆଲୋକ ମିଶ୍ର, ରାମନାରାୟଣ ଦ୍ବିବେଦୀ,ଲେଖକ ନିରଞ୍ଜନ ବାରିକ, ୧୯୯୯ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଆବାହକ ଦିଲୀପ କୁମାର ସାହୁ ଆଦି ଅନେକ ବ୍ୟକ୍ତିତ୍ୱ ସାମିଲ ଥିଲେ।

0
0
0
s2sdefault