ବଡଘର ବଡ ଗୁମର କଥା......ଅଡୁଆରେ ଭର୍ତ୍ତୃହରି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯୌତୁକ ନିର୍ଯାତନା ଅଭିଯୋଗରେ ଛନ୍ଦିହେଲେ : ଖୋଦ ବୋହୁ ଦେଲେ ଏତଲା

ଭୁବନେଶ୍ୱର : ବିଜେଡ଼ିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବେ ଅଡୁଆରେ | ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଆସିଛି ସଂଗୀନ ଅଭିଯୋଗ | ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ ସିଂ ତୋମାର । ଅଧିକ ଯୌତୁକ ଆଣିବା ପାଇଁ ଶ୍ୱଶୁର ଭର୍ତ୍ତୃହରି, ଶାଶୁ ଏବଂ ପୁଅ ଲୋକରଂଜନ ମିଶି ତାଙ୍କୁ ନିର୍ଯ୍ୟାତନା ଏବଂ ହତ୍ୟା ଧମକ ଦେଉଥିବା ଗତକାଲି ସାକ୍ଷୀ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲା ଗ୍ରହଣ କରି ସାଂସଦ ଭର୍ତ୍ତୃହରି, ତାଙ୍କ ପତ୍ନୀ ଏବଂ ପୁଅଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧି ଧାରା 498 (କ), 506 ଏବଂ 34 ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି |

                                                                          Marriage reception of Sakshi in 2016 (file photo)

୨୦୧୬ ଡିସେମ୍ବରରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଂଜନ ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କୁ ନୂଆଦିଲ୍ଲୀରେ ବିବାହ କରିଥିଲେ । ସାକ୍ଷୀ ହେଉଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଭାଇ ରାଜେନ୍ଦ୍ର ସିଂ ତୋମାରଙ୍କ କନ୍ୟା | ସେ ବୋବାହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତତ୍କାଳୀନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ | ସେତେବେଳେ ରାଜନୈତିକ ମହଲରେ ଚର୍ଚାର ବିଷୟ ପାଲଟି ଥିଲା ଏ ବାହାଘର |
ସାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ବିବାହ ସମୟରେ ସାକ୍ଷୀଙ୍କ ଘର ପକ୍ଷରୁ ଶାଢ଼ୀ, ଗହଣା ସହ ଅଢ଼େଇ କୋଟି ଟଙ୍କାର ଯୌତୁକ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ବିବାହର ମାତ୍ର ୪ ଦିନ ପରେ ସାକ୍ଷୀଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । ଅଧିକ ଯୌତୁକ ଦାବି କରି ଶ୍ୱଶୁର ଭର୍ତ୍ତୃହରି, ଶାଶୁ ମହାଶ୍ୱେତା ଏବଂ ସ୍ୱାମୀ ଲୋକରଂଜନ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବ ସହ ବର୍ଷେ ପରେ ତାଙ୍କୁ ବାପ ଘରକୁ ତଡ଼ି ଦିଆଯାଇଥିଲା । ସାକ୍ଷୀ ଏବଂ ତାଙ୍କ ବାପା ମାଆ ଯେତେ ନେହୁରା ହୋଇଥିଲେ ବି ଭର୍ତ୍ତୃହରି ଓ ତାଙ୍କ ପରିବାର ଲୋକଙ୍କ ହୃଦୟ ତରଳି ନ ଥିଲା । ପରବର୍ତ୍ତୀ ସମୟରେ ସାକ୍ଷୀ ତାଙ୍କ ଶ୍ୱଶୁର ଘରର ଦିଲ୍ଲୀ ବାସଭବନରେ ରହିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ସେଠାରେ ମଧ୍ୟ ରଖାଯାଇ ନ ଥିଲା ବୋଲି ସାକ୍ଷୀ ଭୋପାଳ ମହିଳା ଥାନାରେ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି । ଏ ପ୍ରସଙ୍ଗରେ ଶ୍ରୀ ମହତାବଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ |

0
0
0
s2sdefault