ଭୁବନେଶ୍ୱର: ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ‘ଡିଭାଇନ୍ ଏବୋଡ୍’ର ଉଦ୍ଘାଟନ ହେବା ସହିତ ଉଚ୍ଚ ମାଧ୍ୟମିକ ବ୍ଲକ୍ ପାଇଁ ଶିଳାନ୍ୟାସ ସ୍ଥାପନା କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ହଷ୍ଟେଲ୍ର ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟ ଖଣ୍ଡଗିରି ନିକଟରେ ୧୦ ଏକର ବ୍ୟାପୀ ଅଂଚଳରେ ଅନ୍ତର୍ଜାତୀୟ ଡିଭାଇନ୍ ଲାଇଫ୍ ସୋଶାଇଟିର ପ୍ରତିଷ୍ଠାତା ସଭାପତି ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜନ୍ମ ଶତବାର୍ଷିିକୀ ସ୍ମୃତିରେ ପ୍ରତିଷ୍ଠିତ । ଅନ୍ତର୍ଜାତୀୟ ଡିଭାଇନ୍ ଲାଇଫ୍ ସୋଶାଇଟିର ପୂର୍ବତନ ସଭାପତି ଦିବଂଗତ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆଶୀର୍ବାଦରୁ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଆଜି ଉଭୟ ଅତିଥି ବୃକ୍ଷ ରୋପଣ କରି ନୂତନ ହଷ୍ଟେଲ ଗୃହକୁ ଉଦ୍ଘାଟନ କରିଥିଲେ ।ଉତ୍ସବର ସଭାପତି ଶିବଚିଦାନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସମ୍ପର୍ଦ୍ଧିତ କରିଥିଲେ । ଏହି ଅବସରରେ ସ୍ୱାମୀ ଜଗନ୍ନାଥାନନ୍ଦ ସ୍ୱାଗତ ସମ୍ଭାଷଣ ଦେଇଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ରାଜୀବ ଶେଖର ସାହୁ ନୈତିକତା ଏବଂ ଆଧ୍ୟାତ୍ମିକତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଆଇଏଏସ୍ ଏସ୍ଏନ୍ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହିତ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ରଚିତ ପ୍ରାର୍ଥନା ଗାନ କରିଥିଲେ ।
ରାଜ୍ୟ
ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ଶିଳାନ୍ୟାସ ଏବଂ ଉଦ୍ଘାଟନ ସମାରୋହ
- Hits: 595