ବାରିପଦା((ଦିଲ୍ଲୀପ ମହାନ୍ତି )- କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ଦାବିରେ ମଇ ୭ରେ ଛଅ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ ହୋଇଛି । ଜିଲ୍ଲା ସହିତ ସଦର ମହକୁମା ବାରିପଦା ସହରରେ ଜରୁରୀ ସେବାକୁ ବାଦ ଦେଇ ଗମନାଗମନ, ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ୬ରୁ ବନ୍ଦ ପାଳନକାରୀମାନେ ଟାୟାର ଜାଳି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା । ଏହାପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିର ମୁଖ୍ୟ ଫାଟକ ସମ୍ମୁଖରେ ସେନାର ମହିଳା ଶାଖା ପକ୍ଷରୁ ପିକେଟିଂ ଆରମ୍ଭ କରାଯାଇ ଥିଲା । ମହିଲାମାନେ ଫାଟକ ସମ୍ମୁଖରେ ଶୋଇ ରହିଥିବାରୁ କୌଣସି ସରକାରୀ କର୍ମଚାରୀ ସେମାନଙ୍କୁ ଡେ଼ଇଁ ଭିତରକୁ ପ୍ରବେଶ କରିପାରି ନ ଥିଲେ । ବନ୍ଦ ଡ଼ାକରା ସତ୍ୱେ ସହରରେ କେତେକ ଛୋଟମୋଟ ବ୍ୟବସାୟୀ ନିଜର ପେଟପାଟଣା ପାଇଁ ଦୋକାନ ଖୋଲିବାର ଉଦ୍ୟମ କରିଥିବା ବେଳେ ବନ୍ଦ ପାଳନକାରୀ ସେମାନଙ୍କର ସାମଗ୍ରୀ ଲୁଟ କରିଥିବା ବିଷୟକୁ ନେଇ ସହରରେ ଏବଂ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ପରିଲକ୍ଷିତ ହୋଇଛି । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ସହରର ବିଭିନ୍ନ ସ୍ଥାନମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରିବା ସଂଗେସଂଗେ ଆନେ୍ଦାଳନକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲେ । ଏଥି ସହିତ ପୁଲିସ ପ୍ରାୟ ଦେଢ଼ ଶହରୁ ଅଧିକ ବନ୍ଦ ପାଳନକାରୀମାନଙ୍କୁ ଗିରଫ କରିବା ପରେ ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲେ । କୁଡ଼ୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ମହାନ୍ତ, ଜିଲ୍ଲା ସଭାପତି ଦୁର୍ଗା ଚରଣ ମହାନ୍ତ, ସବିତା ମହାନ୍ତ, ଡ଼ାକ୍ତର ମହାନ୍ତ, କୃଷ୍ଣ ମହାନ୍ତ ପ୍ରମୁଖ ଶତାଧିକ ମହିଳା ଓ ସେନା ସମର୍ଥକମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, କୁଡ଼ୁମୀ ସେନା ପକ୍ଷରୁ ମୟୂରଭଞ୍ଜ ସହିତ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ଆଦି ୯ ଗୋଠି ଜିଲ୍ଲାରେ ଏହି ବନ୍ଦ ଡ଼ାକରା ଦେଇ ଥିଲା ।
ରାଜ୍ୟ
କୁଡ଼ୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡ଼ାକରା ସଫଳ
- Hits: 792







