ଗବେଷକ ଅନିଲ ଧୀରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି
ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ଡାକୋଟା ଡିସି-୩ ବିମାନରେ ଇଣ୍ଡୋନେସିଆର ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରିଆଣିଥିଲେ ସେହି ସ୍ମାରକୀ ବିମାନକୁ କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ନରଖି ଭୁବନେଶ୍ୱର ବିମାନବନ୍ଦରରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଏହି ବିମାନକୁ ଠାବ କରିଥିବା ତଥା ଏହାରି ଉପରେ ଗବେଷଣା କରୁଥିବା ଜଣାଶୁଣା ଗବେଷକ ଅନୀଲ ଧୀର ।
ଏକ ଖୋଲାଚିଠି ଲେଖି ଶ୍ରୀ ଧୀର କହିଛନ୍ତିି ଯେ, ଓଡିଶାକୁ ଡାକୋଟା ବିମାନ ଆଣିବାକୁ ଉଦ୍ୟମ ଚାଲିଥିବା ବିଷୟ ଶୁଣି ସେ ଅତ୍ୟନ୍ତ ଆନନ୍ଦିତ । ହେଲେ ଏହା ମଧ୍ୟ ଗଣମାଧ୍ୟମରୁ ଜଣାପଡିଛି ଯେ ଡାକୋଟାକୁ ଆଣି କଟକସ୍ଥିତ ଆନନ୍ଦ ଭବନରେ ରବାକୁ ଯୋଜନା କରାଯାଉଛି । ହେଲେ ଏହାକୁ କଟକ ନଆଣି ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ସ୍ଥାନିତ କରାଯାଉ । ଯେମିତି ଗୋଟିଏ ପୁରୁଣା ରେଳଗାଡିର ରଖାଯିବା ସ୍ଥାନ ହେଉଛି ରେଳଷ୍ଟେସନ, ସେହିପରି ଗୋଟିଏ ପୁରୁଣା ବିମାନ କେବଳ ବିମାନବନ୍ଦର ନିକଟରେ ରଖାଯିବା ଉଚିତ । ବିଶ୍ୱର ଯେତେ ଡାକୋଟା ବିମାନ ଥିଲା ତନ୍ମଧ୍ୟରୁ ହାତଗଣତି ବିମାନକୁ ଛାଡିଦେଲେ ୩୫ଟି ବିମାନ ଆମେରିକା ସମେତ ବିଶ୍ୱର ପ୍ରମୁଖ ବିମାନବନ୍ଦର ବାହାରେ ସ୍ଥାନିତ ହୋଇଛି । ଡିସି-୩ଡାକୋଟା ବିମାନ ଏ ଯାବତ୍ ବିଶ୍ୱର ଅନନ୍ୟ ବିମାନ ଭାବେ ମାନ୍ୟତା ପାଇଆସିଛି, ଯାହାକି ଯେ କୌଣସି ପ୍ରକାର ଆକାଶରେ ଉଡାଣ ଭରିବାର ଦକ୍ଷତା ରଥିଲା । ଏହି ବିମାନ ସର୍ବାଧିକ ମାଇଲ୍ ଅତିକ୍ରମ କରିଛି, ଅନେକ ରେକର୍ଡ ଭାଙ୍ଗିଛି, ବହୁ ଘଣ୍ଟା ଉଡାଣ ଭରିଛି, ସର୍ବାଧିକ ଯାତ୍ରୀଙ୍କୁ ନେଇଛି ଆଉ ଅନେକ ଦୁଃସାଧ୍ୟ ବିରଳ ଉଡାଣର ରେକର୍ଡ ଭରିଛି ବୋଲି ଶ୍ରୀ ଧୀର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦରକୁ ବର୍ତ୍ତମାନ ୨୭ ବିମାନ ଉଡାଣ ଭରୁଛନ୍ତି । ପାଖାପା ୮୦୦୦ ଯାତ୍ରୀ ଏହି ବିମାନରେ ଯାତ୍ରା କରୁଥିବା ବେଳେ ପ୍ରାୟ ୧୦୦୦୦ ଲୋକ ବିମାନବନ୍ଦରକୁ ଆସିଥାନ୍ତି । ଭୁବନେଶ୍ୱର ବିମାନବନ୍ଦର ବାହାରେ ଏହି ଡାକୋଟା ରହିଲେ ହାରାହାରି ୨୦୦୦୦ ଯାତ୍ରୀ ଏହି ଗୌରବମୟ ଏତିହାସିକ ସ୍ମାରକୀକୁ ଦେପାରିବେ । ଆଉ ଏହା ଐତିହାସିକ ବୈମାନିକ ବିଜୁ ବାବୁଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଅନ୍ୟପକ୍ଷରେ ଏହି ଡାକୋଟାର ଦୁଇଟି ଯାକ ଇଞ୍ଜିନ ପୂରା ପରଫେକ୍ଟ ଅଛି । ତେଣୁ କେତେବେଳେ ଏହି ବିମାନ ଯେ ପୁଣି ଥରେ ତାହାର ଡେଣା ନମେଲାଇବ ତାହା କିଏ କହିପାରିବ ବୋଲି ଶ୍ରୀ ଧୀର କହିଛନ୍ତି ।