ହେଡଲାଇନସ୍:

କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ଗମ କର୍ଲାପାଟ ଭିତରେ ଥୁବା ଏହି ଗାଁର ଲାକି ମାଝି ଆଜି ଏକ ପିକଅପ୍ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କର୍ଲାପାଟ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ମରଶରୀର ପରିବାରକୁ ହସ୍ତାନ୍ତର କରିଛି। ଘଟଣାକ୍ରମରୁ ପ୍ରକାଶ, ଉକ୍ତ ଗାଁର ଲାକି ମାଝିଙ୍କୁ ଗତ ୨୦୧୯–୨୦ ମସିହାରେ ଆବାସ ଯୋଜନାରେ ଏକ ପକ୍କା ଘର ମିଳିଥିଲା। ପଞ୍ଚାୟତ ପକ୍ଷରୁ ଠିକାଦାର ନିୟୋଜିତ କରାଯାଇ ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ବର୍ଷ ବିତିବାକୁ ବସିଥ‌ିବା ବେଳେ ଠିକାଦାର ଆରମ୍ଭରୁ ହିଁ ଘର ଅଧା ନିର୍ମାଣ କରି ଛାଡ଼ି ଦେଇଥିଲା। ଘରର ଛାତ ପଡ଼ିଲା ନାହିଁ । ଠିକାଦାର ସବୁତକ ଟଙ୍କା ଉଠାଣ କରି ଚମ୍ପଟ ମାରିଥିଲା। ଘରର ଛାତ ସଂପୂର୍ଣ୍ଣ କରିବାକୁ ଲାକି ବାରମ୍ବାର ପଞ୍ଚାୟତକୁ ଦୌଡ଼ି ନିରାଶ ହୋଇଥିଲେ। ଶେଷରେ ଧାରଉଧାର । କରି ଲାକି ବର୍ଷା ମାସ ପୂର୍ବରୁ ଘରକୁ ଆଜବେଷ୍ଟସ୍ କରିବାକୁ ଚିନ୍ତା କରିଥିଲେ। ଏଥିପାଇଁ ସେ ଭବାନୀପାଟଣା ଯାଇ ଆଜବେଷ୍ଟସ୍ କିଣି ଏକ ପିକ୍‌ଅପ୍
ଭ୍ୟାନରେ ଅପରାହ୍ନରେ ଗାଁକୁ ଫେରିଥିଲେ। ମାତ୍ର ଗାଁ ନିକଟ ଉଠାଣିରେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଲାଗିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ଗାଁ ଲୋକେ କର୍ଲାପାଟ ଥାନାକୁ ଖବର ଦେଇଥିଲେ ମଧ୍ୟ ପୁଲିସ ଆସିନଥିଲା। ଫଳରେ ଗାଁ ଲୋକେ ରାତି ତମାମ ପୁଲିସ ଆସିବ ବୋଲି ଘଟଣାସ୍ଥଳରେ ଜଗି ରହିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପୁଲିସ୍ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ ଦୀର୍ଘ ବର୍ଷ ପରେ ମଧ୍ୟ ଲାକିଙ୍କ ପକ୍କା ଘର ସ୍ବପ୍ନ ପୂରଣ ହେଲାନାହିଁ । ଯଦି ଠିକାଦାର କାମ ସଂପୂର୍ଣ୍ଣ କରିଥା’ତ୍ତା ହୁଏତ ଆଜି ଏଭଳି ଅଘଟଣ ଘଟିନଥାଉ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଲାକି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ଛୋଟଛୋଟ ୪ଟି ସନ୍ତାନ ଅସହାୟ ହୋଇପଡ଼ିଛନ୍ତି। ସରକାରୀ ସହାୟତା ଯୋଗାଇ ବର୍ଷା ହେବା ପୂର୍ବରୁ ଲାକିଙ୍କ ଘର ଛାତ ପକାଇବା ସହ ଆବାସ କାମ ନେଇଥିବା ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

0
0
0
s2sdefault