ହେଡଲାଇନସ୍:

ସାରା ରାଜ୍ୟରେ ଉଠିଛି ସ୍ୱର, ଏ ସରକାର ବଦଳିବା ଦରକାର: ମନମୋହନ ସାମଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ନବୀନ ସରକାର ନେତୃତ୍ୱ ଅଭାବ, ଇଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ

  •  ସରକାର ସଙ୍କଟ ଦେଇ ଗତି କରୁଛି, ଦଳ ଓ ସରକାରରେ ନେତୃତ୍ୱ ଅଭାବ ରହିଛି

  •  ବିଜେଡି ସରକାର ତିନି ଥର ନିର୍ବାଚନୀ ଇସ୍ତାହାରରେ ଜଳସେଚନ ନେଇ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସିଟା ବି ପୂରଣ କରିନାହାନ୍ତି

  •  ୨୫ବର୍ଷରେ ନବୀନ ଯାହା କରିନାହାନ୍ତି ବିଜେପି ସରକାର ୫ବର୍ଷ ତାହା କରି ଦେଖାଇବ

  •  ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ । କୌଣସି କଟନୀ ଛଟନୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ହେବ । ଚାଷୀର ରୋଜଗାର ୩ଗୁଣା ବୃଦ୍ଧି ହେବ । ଡିବିଟି ମାଧ୍ୟମରେ ୪୮ଘଂଟାରେ ଚାଷୀ ଟଙ୍କା ପାଇବେ

ଭୁବନେଶ୍ୱର,ତା.୦୨/୦୫: ବିଜେଡି ସରକାର ସଙ୍କଟ ଦେଇ ଗତି କରୁଛି । ଦଳ ଓ ସରକାରର ନେତୃତ୍ୱ ଅଭାବ ରହିଛି । ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଫଳ । ଓଡ଼ିଶାର ଚାଷୀ ମାସକୁ ୫ହଜାର ଟଙ୍କା ରୋଜଗାର କରୁଥିବାବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଓଡ଼ିଶାରେ ମାତ୍ର ୧୭ଭାଗ ଜମିରେ ଜଳସେଚନ ହୋଇଛି । ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ । କୌଣସି କଟନୀ ଛଟନୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ହେବ । ଚାଷୀର ରୋଜଗାର ୩ଗୁଣା ବୃଦ୍ଧି ହେବ । ଡିବିଟି ମାଧ୍ୟମରେ ୪୮ଘଂଟାରେ ଚାଷୀ ଟଙ୍କା ପାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଳୁ ମିଶନ, ପିଆଜ ମିଶନ ଫେଲ ହୋଇଛି । କାଳିଆ ଯୋଜନାରେ ୭୫ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ କୁହାଯାଇଥିଲା, ହେଲେ ୪୪ଲକ୍ଷ ଚାଷୀଙ୍କୁ ଏହି ସୁବିଧା ମିଳିଲା । ରାଜ୍ୟରେ ସବୁ ଖାଦ୍ୟ ପ୍ରକ୍ର୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା । ନକଲି ଚାଷିମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ହେରଫେର ହେଉଛି । ଧାନ ଏବଂ ଅନ୍ୟ ଫସଲଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହାନ୍ତି । ଦଲାଲ ଏବଂ ମିଲରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ଓଡ଼ିଶାର ଚାଷୀ । ଚାଷୀଙ୍କ ଧାନ କିଣା ହେଲା ବେଳେ ୧୨କିଲୋରୁ ଅଧିକ କଟନୀ ଛଟନୀ କରାଯାଉଛି । ଧାନ କିଣାରେ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସିଏଜି ବାରମ୍ବାର ଧାନ କିଣାର ଅନିୟମିତତା ଧରିଛନ୍ତି । ନବୀନ ସରକାର ସୂତା କଳ ଓ ଚିନି କଳ ବନ୍ଦ କରି ଦେଇଛନ୍ତି । ଚାଷୀମାନେ ଆର୍ôଥକ ଦୁର୍ଗତି ଦେଇ ଗତି କରୁଛନ୍ତି । ନବୀନ ସରକାରଙ୍କ ନେତୃତ୍ୱ ଅଭାବ, ଇଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ । ଏସବୁ ଦେଖିବା ପରେ ନବୀନ ସରକାର ୨୫ବର୍ଷ ଶାସନ ରହି ବି ସବୁ ଦୃଷ୍ଟିରୁ ବିଫଳ ବୋଲି ଶ୍ରୀ ସାମଲ କହିଛନ୍ତି ।
ବିଜୁ ଜନତା ଦଳ ସରକାର ୩ଥର ନିର୍ବାଚନୀ ଇସ୍ତାହାରରେ ଜଳସେଚନ ନେଇ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ୨୦୧୪ରେ ୧୦ଲକ୍ଷ ହେକ୍ଟର ଜଳସେଚନ ହେବ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯ରେ ୩୫ପ୍ରତିଶତ ଜମିରେ ଜଳସେଚନ ହେବ ବୋଲି କୁହାଯାଇଥିଲା, ମାତ୍ର ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ୨୦୨୯ସୁଦ୍ଧା ୧୦୦ପ୍ରତିଶତ ଜମି ଜଳସେଚିତ ହେବ । ମହାନଦୀରେ ବ୍ୟାରେଜ ଏବଂ ଚେକ୍ ଡ୍ୟାମ ତିଆରି ହେବ । ପ୍ରତି ବ୍ଲକରେ ଅତିକମ୍‌ରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଷାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା ୧୦୦ ପ୍ରତିଶତ ହେବ । ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ଖୋଲାଯିବ, ବନ୍ଦ ହୋଇଥିବା ଚିନି କଳ ଓ ସୂତା କଳ ଆରମ୍ଭ କରାଯିବ । ନୂଆ ଚିନି ଓ ସୂତା କଳ ମଧ୍ୟ ତିଆରି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଖୋଦ ନିର୍ବାଚନ ମଣ୍ଡଳୀରେ ଶୀତଳ ଭଣ୍ଡାର ନାହିଁ କି ଚାଷୀଙ୍କୁ କୌଣସି ସୁବିଧା ନାହିଁ, ବିଜେପି ସରକାର ଆସିଲେ ହିଞ୍ଜିଳି ଅଂଚଳରେ ବିକାଶ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ଓ ଜ୍ଞାନେନ୍ଦ୍ର ବେଉରା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault