ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ କବି ପଦ୍ମଶ୍ରୀ ହଳଧର ନାଗ ଜଣାଇଲେ କୃତଜ୍ଞତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 " ମୁଖ୍ୟମନ୍ତ୍ରୀ ଦୁଇଟି ଦାବି ମଂଚ ଉପରୁ ପୂରଣ କରିଥିବା ଯୋଗୁ ମୁଁ କଣ, ସାରା ପଶ୍ଚିମ ଓଡିଶାବାସୀ ଋଣୀ "

Bargarh/ Gouranga Dash :"ମୁଇଁ ତ କବି, ଆପଣ ଅଜଣା ନାଇନ | ଓଡିଶା ସାହିତ୍ୟ ଏକାଡେମୀ ଦେଇ ସାରିଲା, କେନ୍ଦ୍ର ସାହିତ୍ୟ ଏକାଡେମୀ ଦେଇ ସାରିଲା | ପଦ୍ମଶ୍ରୀ ସମ୍ମାନ ଦେଇ ସାରିଲେ, ଡକ୍ଟରେଟ ସମ୍ମାନ ଦେଇ ସାରିଲେ, କିନ୍ତୁ ମୋର ମନ ଖୁସି ନାଇଁ ଥେଇଁ | ଯେତେ ଦିନ ତକ ଏଇ ଭାଷା ସାହିତ୍ୟ ପ୍ରତିଷ୍ଠାନ ନ ହେଇ ପାରବା ସେତେଦିନ ତକ ମୁଇଁ ଖୁସି ନାଇଁ..............

...............ମଞ୍ଚ ଉପରେ ମହାମାନ୍ୟ ମୁଖ୍ୟମନ୍ତ୍ରୀ ସେଟା ଘୋଷଣା କରିଦେଲେ, ଶିଳାନ୍ୟାସ କରଦେଲେ ୨୫ ଲକ୍ଷ ଦିଆ ହୋଇଛେ ବୋଲି ଡିକିଲ୍ୟର କରଦେଲେ, ଆଉ ଗୋଟେ କଥା ..କ୍ୟାନ୍ସର ଡାକ୍ତରଖାନାଟେ ପ୍ରତିଷ୍ଠା ହେବାର ଲାଗି ସ୍ଵାକ୍ଷରତା  ଅଭିଯାନରେ  ମୁଇଁ ପହିଲା ଦସ୍ତଖତ ଦେଇଥିଲି | ସେଥି ଲାଗି ବହୁତ କଥା ଚାଲିଥିଲା | ଧନୁଯାତ୍ରା ମଞ୍ଚ ଉପରେ କହିଥିଲି ଯଦି ନାହିଁ ଦିଅନ, ମୁଇଁ ଅନଶନ କରବି ବୋଲି କହିଥିଲି | ମହାମାନ୍ୟ ମୁଖ୍ୟମନ୍ତ୍ରୀ ମୋର ଯୋଡ଼େ ଦାବିକେ ପୂରଣ କରି ପାରିଛନ | ସେଥିଲାଗି ମୁଇଁ କା କରି, ସାରା ପଶ୍ଚିମ ଓଡିଶା ବାସି ମହାମାନ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାନେ ଋଣୀ"

ବରଗଡରେ ଐତିହାସିକ ତଥା ମହା କାଳିଆ ସମାବେଶ ପରେ ମଂଚ ତଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ପଦ୍ମଶ୍ରୀ ତଥା ଲୋକ କବିରତ୍ନ ହଳଧର ନାଗ | ପଶ୍ଚିମ ଓଡ଼ିଶାର ସର୍ବମାନ୍ୟ ସାହିତ୍ୟ ସ୍ରଷ୍ଟା, ସମାଜ ସୁଧାରକ ପଦ୍ମଶ୍ରୀ ହଳଧର ନାଗ କହିଥିଲେ ଯେ ଘେଁସ ଗ୍ରାମରେ ସମ୍ବଲପୁରୀ/କୋଶଲି ଭାଷା ସାହିତ୍ୟ ଗବେଷଣା ପ୍ରତିଷ୍ଠା ପାଇଁ ଶୁଭ ଶିଳାନ୍ୟାସ କରିଥିବାରୁ ଓ ବହୁ ପ୍ରତିକ୍ଷିତ କ୍ୟାନ୍ସର ହସ୍ପିଟାଲ ବରଗଡ଼ରେ ହେବ ବୋଲି ଘୋଷଣା କରିବା ଘଟଣାରେ ସେ ବେଶ ଖୁସି | କେବଳ ସେ ନୁହନ୍ତି, ସାରା ପଶ୍ଚିମ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଋଣୀ |  

ହେଲେ ପଦ୍ମଶ୍ରୀ ହଳଧର ନାଗ ମହୋଦୟ ମୁଖ୍ୟମନ୍ତ୍ରୀଙ୍କୁ ଭୁୟସୀ ପ୍ରଶଂସା କରିଥିବା ଓ କୃତଜ୍ଞତା ଜ୍ଞାପନ କରିଥିବା ବେଳେ  ସୋସିଆଲ ମେଡିଆରେ ତାଙ୍କୁ ଅପମାନ କରାଯାଇଛି ବୋଲି ପ୍ରଚାର ଜାରି ରହିଛି | ଏହାସହିତ ଗୋଟିଏ ଭିଡିଓ କ୍ଲିପ ଦେଖାଯାଉଛି, ଯେଉଁ ଭିଡିଓ କ୍ଲିପଟି ଗତ 21 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କର ସୋହେଲା ମହାସମାବେଶର ।  ବିରୋଧୀଙ୍କର ଏହି କ୍ଲିପଟି ପ୍ରସାରିତ କରି ଦର୍ଶାଯାଉଛି  ଯେ ମୁଖ୍ୟମନ୍ତ୍ରୀ କୁଆଡେ ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କର ଅସମ୍ମାନ କରିଛନ୍ତି । କାର୍ଯ୍ୟକ୍ରମର ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମଂଚ ଉପରେ ବିରାଜମାନ ଥିବା ପଶ୍ଚିମ ଓଡ଼ିଶାର ସମସ୍ତ ସୁସନ୍ତାନ  ମାନଙ୍କୁ  ଗୋଟିଏ ନମସ୍କାର ସହ ନିଜ ଆସନ ଆଡକୁ ଅଗ୍ରସର ହେଉଛନ୍ତି | ପଦ୍ମଶ୍ରୀ ଶ୍ରୀ ନାଗ ତାଙ୍କୁ ଏକ ଅଙ୍ଗବସ୍ତ୍ର ପ୍ରଦାନ କରିବାକୁ ଯାଉଥିବା ବେଳେ ସ୍ଵଭାବତଃ ବାମହାତୀ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସୁରକ୍ଷା କର୍ମୀଙ୍କୁ ବଢ଼ାଇ ଦେଇଛନ୍ତି | ଯେଉଁ ମାନେ ଏହି କ୍ଲିପ ଟିକୁ ଭଲ ଭାବରେ ଦେଖିଛନ୍ତି ସେମାନେ ନିଶ୍ଚିତ ଭାବରେ ଜାଣିଛନ୍ତି ଯେ ଅସଲ କଥାଟା କଣ । ଭିଡିଓ କ୍ଲିପ ରେ ସ୍ପଷ୍ଟ ଦେଖାଯାଉଛି ଯେ ମୁଖ୍ୟମନ୍ତ୍ରୀ ଙ୍କୁ ମଞ୍ଚ ଉପରେ ପଦ୍ମଶ୍ରୀ ହଳଧର ନାଗ ଏକ ଉତ୍ତରୀୟ ଦେଇ ସ୍ୱାଗତ କରୁଥିଲେ | ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଶାରୀରିକ ଉଚ୍ଚତା ଅଧିକ ସେଥି ପାଇଁ କବିବରଙ୍କର ହାତ  ମୁଖ୍ୟମନ୍ତ୍ରୀଙ୍କର ମୁଣ୍ଡ ପର୍ଯନ୍ତ ପହଂଚି  ନପାରିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜ ମୁଣ୍ଡ ପାଖରୁ ଉକ୍ତ ଉତ୍ତରୀୟକୁ ଏକ ସ୍ମିତ ହାସ୍ୟରେ ଗ୍ରହଣ କରି ନିଜର ସୁରକ୍ଷା କର୍ମୀଙ୍କର ହାତକୁ ବଢ଼ାଇ ଦେବା ସହିତ କବିବଙ୍କର ସହିତ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ପର୍ଯନ୍ତ ଯାଇଥିଲେ । ଖୋଦ ପଦ୍ମଶ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ  ପାଛୋଟି ନେଇଥିବା ବି ଦେଖିବାକୁ ମିଳିଛି | ମଂଚ ଉପରେ ପାଖାପାଖି ବସିଥିବା ମୁଖ୍ୟମନ୍ତ୍ରୀ ଓ ପଦ୍ମଶ୍ରୀ ଶ୍ରୀ ନାଗଙ୍କ ମଧ୍ୟରେ ସନ୍ତୁଷ୍ଟି ବଦନରେ ଭାବର ଆଦାନ ପ୍ରଦାନ ବି ହୋଇଛି | ଆଉ ମଂଚ ଉପରେ ମୁଖ୍ୟମନ୍ତ୍ରୀ ପଦ୍ମଶ୍ରୀ ହଳଧର ନାଗ ଭାଷା ଗବେଷଣା କେନ୍ଦ୍ର ଘୋଷଣା କରିବା ବେଳେ ସର୍ବୋପରି କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ବିଷୟ ଘୋଷଣା କରିବା ବେଳେ ପଦ୍ମଶ୍ରୀ ଶ୍ରୀନାଗ ଅତ୍ୟନ୍ତ ପ୍ରୀତ ଜଣା ପଡୁଥିଲେ | ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ସେ କେତେ ଖୁସି ତାହା ସେ ମଂଚ ତଳେ ଆସି ଜାହିର ବି କଲେ ସାମ୍ବାଦିକଙ୍କ ନିକଟରେ | 

          ଅପମାନ ହୋଇଥିବା ବିଷୟ ଖୋଦ ପଦ୍ମଶ୍ରୀ ହଳଧର ନାଗ ଜାଣି ନଥିବା ବେଳେ ଓ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ କୃତଜ୍ଞତା ଜଣାଉଥିବା ବେଳେ ତାଙ୍କୁ ଅପମାନ କରାଯାଇଛି ଵୋଲି ସୋସିଆଲ ମେଡିଆରେ ଅପପ୍ରଚାର ଚାଲିଛି | ଆଉ ଏ ପ୍ରକାର ପ୍ରଚାରର ବି କାରଣ ରହିଛି | ସେଦିନର କାଳିଆ ସମାବେଶ ଏତେ ମାତ୍ରାରେ ସଫଳ ହେବ ବୋଲି କେହି ଆଶା କରି ନଥିଲେ | ଦେଢଲକ୍ଷରୁ  ଅଧିକ ଲୋକଙ୍କ ସମାଗମ ହେବ ଆଉ ମୁଖ୍ୟମନ୍ତ୍ରୀ କ୍ୟାନସର ହସ୍ପିଟାଲ ବରଗଡ଼ରେ ହେବ ବୋଲି ଘୋଷଣା କରି ଲୋକଙ୍କ ମନ କିଣି ନେବେ,  ଏକଥା  ବିରୋଧୀଙ୍କ କଳ୍ପନା ବାହାରେ ଥିଲା | ମୁଖ୍ୟମନ୍ତ୍ରୀ ପଦ୍ମଶ୍ରୀ ହଳଧର ନାଗଙ୍କୁ ଅସମ୍ମାନ କରିଛନ୍ତି ବୋଲି ପ୍ରଚାର କରି ବାସ୍ତବରେ ସ୍ଥାନୀୟ ବିରୋଧୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଆଳରେ ଟାର୍ଗେଟ କରିଛନ୍ତି ସୋହେଲା ତଥା ବରଗଡ଼ ଜିଲ୍ଲାର ଲୋକପ୍ରିୟ ଯୁବ ନେତା  ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ  । ସମାବେଶର ବିଶାଳ ଆୟୋଜନ ଓ ସଫଳତା ପରେ ସୁଶାନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତା ବିରୋଧୀଙ୍କ ଚକ୍ଷୁ ଶୂଳ ହେବା ସହ ଗାତ୍ର ଦାହର କାରଣ ହେବା ସ୍ୱାଭାବିକ | କାରଣ ଭୋଟ ଆଉ ମାତ୍ର କିଛି ଦିନ ବାକି । ଆଉ ବରଗଡ଼ ଜିଲ୍ଲାରେ ଶୁଶାନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନୀ ଫ୍ଲୋର ମ୍ୟାନେଜମେଣ୍ଟ ଦଳର ସୁପ୍ରିମୋଙ୍କ ଦ୍ୱାରା ବହୁ ପରୀକ୍ଷିତ | ନବୀନ ବାବୁଙ୍କ ୟଙ୍ଗ ବ୍ରିଗେଡର ସେ ହେଉଛନ୍ତି ଜଣେ ଭରସାଯୋଗ୍ୟ ଷ୍ଟ୍ରାଇକର | ବିଜେପୁର ଉପ ନିର୍ବାଚନରେ ବିରୋଧୀ ତାଙ୍କୁ ପରଖି ନେଇଛନ୍ତି | ତେଣୁ ଏହା ବାଦ ସୋହେଲା ସମାବେଶର ସଫଳତା ଦେଖି ନିଜ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିବା ସୁଶାନ୍ତ ବିରୋଧୀ ଛାନିଆ ହେବ ସ୍ୱାଭାବିକ | ମୁଖ୍ୟମନ୍ତ୍ରୀ ବି ଥିଲେ ଥିଲେ, କ୍ୟାନ୍ସର ହସପିଟାଲ ବରଗଡ଼ରେ ହେବ ବୋଲି ଘୋଷଣା କରି ଲୋକଙ୍କ ଖୁସିରେ ଚାର ଚାନ୍ଦ ଲଗାଇ ଦେଇଥିଲେ |  ତେଣୁ ମୁଖ୍ୟମନ୍ତ୍ରୀଙ୍କର ଆକସ୍ମିକ ଘୋଷଣା ଓ ଅଂଚଳରେ ସୁଶାନ୍ତଙ୍କର ପ୍ରତି ରହିଥିବା ପ୍ରବଳ ଜନ ସମର୍ଥନତାଙ୍କ ବିରୋଧୀଙ୍କ ପାଇଁ ମୁଣ୍ଡବ୍ୟଥା ଆଣିଦେଇ ଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି | ଆଉ ଇଏ ହେଉଛି ରାଜନୀତି...ଏଠି ସବୁ ସମ୍ଭବ | କଥାରେ ଅଛି  "ପ୍ୟାର, ଜଙ୍ଗ ଔର ରାଜନୀତି ମେ ସବକୁଛ ଜାୟଜ ହେ" | ତେଣୁ ସୁଶାନ୍ତଙ୍କ ପ୍ରତିପକ୍ଷ ତାଙ୍କୁ ବଦ୍ନାମ କରିବା ପାଇଁ ଯେ କୌଣସି ଆଳ ନେଇ ପାରନ୍ତି, ସମାଲୋଚନାର ଯେ କୌଣସି ସ୍ତରକୁ ଯାଇପାରନ୍ତି | ଆଉ ଆଗକୁ ମଧ୍ୟ ଆଉ କିଛି ଗେମ ପ୍ଲାନ ବି ହୋଇପାରେ | ହେଲେ ଦେଖିବାକୁ ବାକି ରହିଲା "କାମ, କ୍ଵାଇଟ ଆଣ୍ଡ କୁଲ" ରାଜନେତା ସୁଶାନ୍ତ ପ୍ରତିପକ୍ଷଙ୍କ  ଏ ଅପପ୍ରଚାରକୁ କେମିତି ମୁକାବିଲା କରୁଛନ୍ତି | ହେଲେ ଗୋଟାଏ କଥା, ପଦ୍ମଶ୍ରୀ ହଳଧର ନାଗ ଜଷ୍ଟ ସଭା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହୃଦୟଭରା କୃତଜ୍ଞତା ଜଣାଇଥିବା ବେଳେ ତାଙ୍କୁ ଅପମାନ କରାଯାଇଛି ବୋଲି ସୋସିଆଲ ମେଡିଆରେ ପ୍ରଚାର ହେବା ପଛର ରହସ୍ୟ ଅବୁଝା ରହିଯାଉଛି |  

 

 

 

 

 

 

0
0
0
s2sdefault