ହେଡଲାଇନସ୍:

ଭଦ୍ରକରେ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ .......

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଣ୍ଡ ଉପରେ ନିର୍ବାଚନ : ୩ ଦଳରେ ଚାଲିଛି ମାନସ ମନ୍ଥନ 

ହେଲେ ସମ୍ଭାବ୍ୟ ପ୍ରାଥୀଙ୍କୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର 

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଜିଲ୍ଲାର ସମ୍ମାନଜନକ ବିଧାନସଭା କ୍ଷେତ୍ର ଭଦ୍ରକ । ମୋଟ ୩୬ ଗ୍ରାମ ପଞ୍ଚୟତ ଓ ୩୦ ପୌର ୱାର୍ଡ଼କୁ ନେଇ ଏହା ଗଠିତ ଗଠିତ । ଚଳିତ ବର୍ଷ ଜାନୁଆରୀ ୨୧ତାରିଖ ସୁଦ୍ଧା ଏଠାରେ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୪୭ ହଜାର ୪୮୮ । ଗତ ୨ ଟି ସାଧାରଣ ନିର୍ବାଚନରେ କ୍ରମାଗତ ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ବିଜୟ ହାସଲ କରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ନରେନ ପଲେଇଙ୍କୁ ୨୩ହଜାର ୫୮୭ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ସ୍ୱାସ୍ଥ୍ୟଗତ କାରଣରୁ ଅଗାମୀ ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ଏହି ନିର୍ବାଚନମଣ୍ଡଳୀରେ ଅଗାମୀ ନିର୍ବାଚନ ପାଇଁ ଶାସକ ବିଜେଡ଼ି ଦଳରେ ସମ୍ଭାବ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନୁରୂପ ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିରଂଜନ ପଟ୍ଟନାୟକ ମନୋନୀତ ହେବା ପରେ କଂଗ୍ରେସ ଦଳରେ ମଧ୍ୟ ନୂତନ ସମୀକରଣ ସୃଷ୍ଟି ହୋଇଛି । ଦଳର ପ୍ରାର୍ଥୀତ୍ୱକୁ ନେଇ ଦଳର କର୍ମୀ ଓ ନେତା ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ, ଏକାଧିକ ପ୍ରାର୍ଥୀ ଏବେ ଟିକେଟ ଦୌଡ଼ରେ ସାମିଲ ହୋଇ ସାରିଛନ୍ତି । ସେହିପରି ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନ୍ୟତମ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଉନ୍ନତ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲା । ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ଡ଼ା ପ୍ରଦୀପ ନାୟକ ନିଜର ପ୍ରାର୍ଥୀତ୍ୱ ନେଇ ନିଶ୍ଚିତ ଥିଲେ ମଧ୍ୟ ପରିବର୍ତ୍ତୀତ ରାଜନୈତିକ ସମୀକରଣ କ’ଣ ହେବ ଓ କିଏ ହେବ ଦଳୀୟ ପ୍ରାର୍ଥୀ ତାକୁ ନେଇ ଦଳର ବହୁ କର୍ମୀ ଦ୍ୱନ୍ଦରେ ରହିଛନ୍ତି । ଆଗାମୀ  ନିର୍ବାଚନରେ ୨ଲକ୍ଷ ୪୭ ହଜାର ୪୮୮ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ ।  

ଏବେର  ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ କହିବାନୁଯାୟୀ ଗତ ଅର୍ଦ୍ଧ ଶତାଦ୍ଦୀ ଧରି ଭଦ୍ରକବାସୀଙ୍କ ସହିତ ମୋର ଆତ୍ମିକ ସମ୍ପର୍କ ରହି ଆସିଛି । ସେମାନଙ୍କର ଆବଶ୍ୟକତାକୁ ମୁଁ ମର୍ମେ ମର୍ମେ ଅନୁଭବ କରିଛି । ଅତୀତରେ ମୁଁ ଏହି ବିଧାନସଭା କ୍ଷେତ୍ରରୁ ୫ଥର ପ୍ରତିନିଧିତ୍ୱ କରିଥିଲେ ମଧ୍ୟ କୌଣସି ସମୟରେ କିଛି ପ୍ରତିଶ୍ରୁତି ଦେବାକୁ ଉଚିତ ମନେ କରି ନାହିଁ । ତଥାପି ଗତ ୫ବର୍ଷ ମଧ୍ୟରେ ପୌରପାଳିକାଠାରୁ ଆରମ୍ଭ କରି ସମସ୍ତ ପଞ୍ଚାୟତରେ ଶିକ୍ଷାର ବିକାଶ, ଗମନାଗମନ ପାଇଁ ଉନ୍ନତ ରାସ୍ତା, ନଦୀ ପୋଲ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଭୂମିହୀନଙ୍କୁ ଜମି ପଟ୍ଟାର ବ୍ୟବସ୍ଥା କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମୀକୁ ସୁଦୃଢ଼ କରାଯାଇଛି । ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସାମଗ୍ରୀକ ବିକାଶ ପାଇଁ ମଧ୍ୟ ମୁଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇ ସଫଳତାର ସହ ସମ୍ପାଦନା କରିଛି । କିନ୍ତୁ ଭଦ୍ରକ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଓ ଭଦ୍ରକରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ସତ୍ତ୍ୱେ  ଏହା ବାସ୍ତବ ରୂପ ନେଇ ପାରିନଥିବାରୁ ମୁଁ ଦୁଃଖିତ । ତଥାପି ଏହି ଦୁଇ ପ୍ରସଙ୍ଗରେ ମୋର ଅନୁରୋଧ କ୍ରମେ ରାଜ୍ୟ ସରକାର କେନ୍ଦ୍ରକୁ ଆବଶ୍ୟକ ସୁପାରିଶ କରିଛନ୍ତି ।  

ଅପରପକ୍ଷରେ ଭଦ୍ରକ ବିଧାନସଭା କ୍ଷେତ୍ରରେ ସେପରି କୌଣସି ଉନ୍ନତି ହୋଇ ନାହିଁ ବୋଲି କୁହନ୍ତି ଗତ ନିର୍ବାଚନରେର ପରାଜିତ ପ୍ରାର୍ଥୀ ନରେନ ପଲେଇ । ଜନସଂଖ୍ୟା ଆଧାରରେ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟୟବରାଦ ହୋଇଥିବା ଅର୍ଥକୁ କେବଳ ଖର୍ଚ୍ଚ କରି ବିଧାୟକ ବାହାବା ନେବାକୁ ଉଦ୍ୟମ କରୁଛନ୍ତି । ଭଦ୍ରକରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ପରି ଦୁଇ ପ୍ରମୁଖ ପ୍ରସଙ୍ଗରେ ବିଧାୟକ ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି । ସେହିପରି ଅମୃତ ସହର ଭଦ୍ରକର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଚରମ୍ପା ବଜାର ଓ ପାଶ୍ୱର୍ବବର୍ତ୍ତୀ ଅଞ୍ଚଳର ଉନ୍ନତି ଦିଗରେ ବିଧାୟକ କୌଣସି ପଦକ୍ଷେପ ନେଇ ନାହାନ୍ତି ।

ସେ ଯାହାବି ହେଉ ଆଗାମୀ ସାଧାରଣ ନିର୍ବାଚନରେ ବର୍ତ୍ତମାନର ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ସ୍ୱାସ୍ଥ୍ୟଗତ କାରଣରୁ ପ୍ରତିଦ୍ୱନ୍ଦୀତା କରିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ତେଣୁ ଶାସକ ଦଳରୁ ଏକ ନୂଆ ମୁହଁ ଦେଖିବାକୁ ମିଳିବା ଏକପ୍ରକାର ନିଶ୍ଚିତ । ଏହି କ୍ରମରେ ବିଧାୟକଙ୍କ ପୁତ୍ର ତଥା ଜିଲ୍ଲା ଉପସଭାପତି ଅସିତ କୁମାର ପଟ୍ଟନାୟକ(ବୁଲୁ) ଯୁବ ସମାଜସେବୀ ସଂଜୀବ ମଲ୍ଲିକ ଓ ଅଶୋକ ମହାନ୍ତିଙ୍କ ନାମ ଚର୍ଚ୍ଚାକୁ ଆସିଛି । ବୁଲୁ ବିଧାୟକ ଯୁଗଳ ବାବୁଙ୍କ ପୁତ୍ର ହୋଇଥିବାବେଳେ, ସଂଜୀବ ଧାମନଗରର ଦିବଗଂତ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁତ୍ର ଓ ମାନସ ମଲ୍ଲିକଙ୍କର ଭାଇ । ସେହିପରି ଅଶୋକ ଭଦ୍ରକ ବିଧାନସଭା କ୍ଷେତ୍ରର ୭୦ ଦଶକର ବିଧାୟକ ରତ୍ନାକର ମହାନ୍ତିଙ୍କ ପୁତ୍ର । ସେହିପରି ରାଜ୍ୟ କଂଗ୍ରେସର ସାଗଠନିକ ପୁର୍ନବିନ୍ୟାସ ପରେ ଏବେ ଏହି କ୍ଷେତ୍ର ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଦଳ ପକ୍ଷରୁ ନୂତନ ପ୍ରାର୍ଥୀ ଦିଆଯିବ ଅଥବା ପ୍ରାକ୍ତନ ବିଧାୟକ ନରେନଙ୍କ ଉପରେ ପୁଣି ଦଳ ଆସ୍ଥାପ୍ରକଟ କରିବ ତାହା ଏବେ ଠାରୁ ଆକଳନ କରିବା କଷ୍ଟ । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ନୂତନ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପିସିସି ସମ୍ପାଦକ ଦେବରୂପ ମହାନ୍ତି, ପିସିସି ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ର ମଧ୍ୟ ଭଦ୍ରକରୁ ପ୍ରାର୍ଥୀ ହେବାକୁ ଆଶାୟୀ ହୋଇପଡ଼ିଛନ୍ତି । ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାଗଠନିକ ଦକ୍ଷତା ପ୍ରଦର୍ଶନ କରିବା ସହ ଜିଲ୍ଲା ରାଜନିତୀରେ ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ବିଜେପିର ନେତା ଡ଼ା. ପ୍ରଦୀପ ନାୟକ ଦଳର ଟିକେଟ ପାଇଁ ଦୃଢ଼ ଦାବିଦାର ଅଛନ୍ତି । ତଥାପି ଦଳର ଜିଲ୍ଲା ମହିଳା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଓ ତୁଷାର ଜେନା ମଧ୍ୟ ଏହି ;ଦୌଡ଼ରେ ଅଛନ୍ତି ।

 

 

0
0
0
s2sdefault